ନବବର୍ଷର ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ସମସ୍ତେ ବ୍ୟସ୍ତ ଅଛନ୍ତି |
ନୃତ୍ୟଗୀତର ଆସରରେ ମସ୍ଗୁଲ୍ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅନେକ ଏପରି ମଧ୍ୟ ଥିବେ ଯେଉଁମାନେ "ଓଡିଆ ନବବର୍ଷ" ବିଷୟରେ ଅଜ୍ଞାତ ଥିବେ |ଅନ୍ୟସବୁ କ୍ୟାଲେଣ୍ଡର୍ ପରି ଓଡିଆ ନବବର୍ଷ ମଧ୍ୟ ବର୍ଷର ପ୍ରଥମଦିନକୁ ପାଳନ କରାଯାଏ |
ଓଡିଆ ପାଞ୍ଜି ଅନୁସାରେ ବର୍ଷକ ବାରମାସ ଯଥା: ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର ଏବଂ ବାରଟି ରାଶି ଯଥା: ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ |
Picture Courtesy :- © http://www.math.nus.edu.sg |
ଉକ୍ତ ରାଶିଗୁଡିକ ସୌରଚଳନ ଅନୁସାରେ ବଦଳିଥାଏ |
ତେଣୁ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ଉକ୍ତ ଦିନଟିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ |
କଥିତ ଅଛି ଯେ ଏହି ଦିନ ହନୁମାନ ଜନ୍ମଗ୍ରହଣ କରି ଥିଲେ, ତେଣୁ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ |
ଯେପରି ଓଡିଆ ମାସର ଗଣନା ପୂର୍ଣ୍ଣିମା ରୁ ପୂର୍ଣ୍ଣିମା ହୁଏ, ସେହିପରି ସୌରମାସର ଗଣନା ସଂକ୍ରାନ୍ତିରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଶେଷ ହୁଏ |
ତେଣୁ ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ନୂତନବର୍ଷ ଭାବେ ପାଳନ କରାଯାଏ |
ମେଷ ସଂକ୍ରାନ୍ତି ରୁ ବୃଷ ସଂକ୍ରାନ୍ତି ଯାଏ ଘରେ ପୂଜା ପାଉଥିବା ବୃନ୍ଦାବତୀ ଦେବୀଙ୍କୁ (ତୁଳସୀ ଚଉରା) ପଣା/ଜଳଦାନ କରାଯାଏ |
ଗୋଟିଏ ଛୋଟ ଠେକି/ଘଡିରେ ତଳେ ସୂକ୍ଷ୍ମ ରନ୍ଧ୍ର କରି ସେଥିରେ ଜଳ ରଖି ତାକୁ ଗୋଟେ ଛାମୁଣ୍ଡିଆ ରେ ବାନ୍ଧିଦିଆ ଯାଏ, ଯାହାକି ବୃକ୍ଷକୁ ଜଳଦାନ କରିବାର ପ୍ରତୀକ ସ୍ୱରୂପ ଅଭିହିତ ହୋଇଥାଏ |
ଚଳିତ ନୂତନବର୍ଷର ପ୍ରାକ୍ ସନ୍ଧ୍ୟା ରେ ଜଣେ ଭଦ୍ରବ୍ୟକ୍ତି ନିଜର ବର୍ଷକର ଶିଶୁକନ୍ୟାକୁ କହୁଥିଲେ ଯେ ଚାଲ ଘରକୁ ଯିବା, "ମ୍ୟୁଜିକ୍" ବଜେଇକି "ଡ୍ୟାନ୍ସ୍" କରିବା |
ଏହି ପ୍ରସଙ୍ଗକୁ ଏଠାରେ ଅବତାରଣା କରିବାର ଅର୍ଥ ଏହିକିଯେ, ଆମେ ଆମର ପରପିଢିକୁ ଭବିଷ୍ୟତ ପାଇଁ ଏପରି ଭାବେ ପ୍ରସ୍ତୁତ କରୁଛେଯେ ସିଏ ତାର ଆଗାମୀ ବୃତ୍ତିଗତ (Professional Life ) ଜୀବନରେ ସଫଳ ହେଇଯିବ କିନ୍ତୁ କ୍ରମେ ସିଏ ତା ନିଜ ସଂସ୍କୃତିକୁ ହୁଏତ ଭୁଲି ଯାଇପାରେ |
ଇଂରାଜୀ ନବବର୍ଷ ପାଳନ କରିବାର ବିପକ୍ଷବାଦୀ ହୋଇ କାହାର ଆକ୍ରୋଶର ଶୀକାର ହେବାର ଲକ୍ଷ ଆମର ଆଦୌ ନାହିଁ |
କେବଳ ଏତିକି କହିବାକୁ ଚାହୁଁ ଯେ,
ଇଂରାଜୀ ନବବର୍ଷ ପାଳନ ହଉ କିନ୍ତୁ ତା ସହ ଆମେ ନିଜ ସଂସ୍କୃତିକୁ ନ ଭୁଲି ଓଡିଆ ନବବର୍ଷ ମଧ୍ୟ ସମାନ ଆଗ୍ରହର ସହ ପାଳନ କରିବା |
Follow this link to know more about Indian Calenders
Look in Wikipedia
No comments:
Post a Comment